About Odia Language?

Know more about present situation

ଗୋଟିଏ ଜାତିର ପରିଚୟ ତା’ର ଭାଷାକୁ କେନ୍ଦ୍ର କରି ହୋଇଥାଏ। କିନ୍ତୁ ଅତ୍ୟନ୍ତ ପୀଡ଼ାଦାୟକ ହେଲେବି ଏଇଟା ସତ କଥା ଯେ, ଆମେ ଆମର ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରାକୁ ପାସୋରିବାକୁ ଆରମ୍ଭ କଲୁଣି। ସେ ସବୁ କେବଳ କେତେଜଣ ବୁଦ୍ଧିଜୀବି, ଭାଷା ପ୍ରେମୀମାନଙ୍କ ଭିତରେ ସୀମିତ ହୋଇ ରହି ଗଲାଣି। ହିନ୍ଦୀଭାଷୀ ଅଂଚଳ ସହିତ ସମ୍ପୃକ୍ତ ରାଉରକେଲା କଥା ଛାଡ଼ନ୍ତୁ ରାଜଧାନୀ ଭୁବନେଶ୍ୱର ଓ ବ୍ରହ୍ମପୁର ପରି ସହରରର ଦୋକାନ ବଜାରରେ ଦେଖନ୍ତୁ ଆମେ ପରସ୍ପର ଭିତରେ ବି ଅନ୍ୟ ଭାଷାରେ କଥା ହେବାକୁ ସୁଖ ପାଉଛୁ। ଆମ ପାଟିରୁ ଭସ ଭସ ଭିନ୍ନ ଭାଷା ବାହାରୁଛି, କିନ୍ତୁ ନିଜ ଭାଷା ଓଡ଼ିଆ କହିବାକୁ ତଣ୍ଟିରେ ଲାଗୁଛି। ଆମପାଇଁ ଏହାଠାରୁ ଲଜ୍ଜାକର କଥା ଆଉ କ’ଣ? ଆଉ କିଛି ଲୋକ ଏକ ସଙ୍କର କିସମ ଭାଷାର ଉପଯୋଗ କରିବା ଆରମ୍ଭ କଲେଣି। ଆଉ ପୁଞ୍ଜାଏ ଓଡ଼ିଆ କହିଲେଣି ଏଇ ଭାଷାର ଭବିଷ୍ୟତ ଅନ୍ଧାର।

ନିଜ ଭାଷାକୁ ପତନରୁ ରକ୍ଷା କରିବାପାଇଁ ଆମର ପୂର୍ବ ପୁରୁଷମାନେ କେତେ କେତେ ତ୍ୟାଗ କରିଛନ୍ତି, ସେ କଥା କ୍ୱଚିତ୍ ଲୋକେ ମନେ ପକାନ୍ତି। ନିଜ ଉପାର୍ଜିତ ଧନର ଅଧିକତର ଅଂଶ, ନିଜ ଜୀବନର ଅଧିକତର ସମୟ, ଅନେକ ଲାଞ୍ଛନା, ଅପମାନ ସହି, ବହୁ ଦୁଃଖ ଯନ୍ତ୍ରଣା ସହି ସେମାନେ ଆଜି ଯେଉଁ ଭାଷାକୁ ବଞ୍ଚେଇ ରଖିଛନ୍ତି, ଯାହା ଆଜି ଶାସ୍ତ୍ରୀୟ ଭାଷା ବୋଲି ଗୌରବାନ୍ୱିତ ହୋଇ ପାରିଛି ତା’ର ସ୍ଥିତି ଯେ ପୁନଃ ଦୟନୀୟ ହେବାକୁ ଯାଉଛି ଏହା ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ନିଶ୍ଚୟ।

ମାତୃଭାଷାର ବେଦନା ମା’ର ବେଦନା। ସେହି ବେଦନାର ନିରାକରଣ ଆଜି ପ୍ରତ୍ୟେକ ଓଡ଼ିଆ ଭାଷୀ ଓ ଓଡ଼ିଆ ଭାଷାପ୍ରେମୀର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏଇ କଥାକୁ ସାଧାରଣରେ ଯଦି ଲୋକେ ଉପଲବ୍ଧି କରନ୍ତେ, ବିଶେଷ କରି ନୂଆ ପିଢ଼ିର ପିଲାମାନଙ୍କୁ ପିଲାବେଳୁ ହିଁ ଯଦି ଏହାର ଆଭାସ ମିଳନ୍ତା, ତେବେ ଆମେ ବିଶ୍ୱ ଦରବାରରେ ଆମର ପୂର୍ବ ପରିଚୟକୁ କାଏମ ରଖି ପାରନ୍ତେ। ଆମର ଗୌରବର ମଶାଲକୁ ତେଲ ମିଳିବ ଆମ ଭାଷା ପ୍ରେମରୁ, ନିଜ ଭାଷା ପାଇଁ କିଛି କରିବାର ସଂକଳ୍ପରୁ।

ଆଉ ଏଥିପାଇଁ ପାହାଡ କାଟିବା ପରି କିଛି ବଡ଼ କାମ କରିବା ଲୋଡ଼ା ନାହିଁ। ପହିଲେ ଆମେ ଆଣ ବୁଢ଼ୀମା ପାଖରେ ବସି ତା’ କଥା ଶୁଣିବା, ଓଡ଼ିଆ ଖବର କାଗଜ, ମାଗାଜିନ, ବହିଟିଏ କିଣି ପଢ଼ିବା, ନିପଟ ମଫସଲ ଗାଁର ଲୋକମାନଙ୍କର ନିରୁତା ଓଡ଼ିଆ କଥାଭାଷା ଶୁଣିବା ଓ ଶିଖିବା, ସର୍ବୋପରି ନିଜର କନଭେଣ୍ଟ ଫନଭେଣ୍ଟ ପଢ଼ି ପିଲାମାନଙ୍କ ସହିତ ଘରେ କଡ଼ାକଡ଼ି ଭାବରେ ନିରୋଳା ଓଡ଼ିଆରେ କଥା ହେବା, ତାଙ୍କୁ ବର୍ଣ୍ଣବୋଧଟିଏ ଆଣି ଦେବା। ଆମେ ଆମ ଭାଷାକୁ ପ୍ରଥମେ ଅଧିକରୁ ଅଧିକ ବ୍ୟବହାର କରିବା ଓ ତାହା କରିବାପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେବା। ଆମ ଭାଷାର ମଧୁରତାକୁ ଯଦି ଆମେ ସ୍ପର୍ଶ କରି ପାରିବା, ତେବେ ଆମେ ନିଜ ଭାଷାକୁ ପ୍ରାଣ ଭରି ଭଲ ପାଇ ପାରିବା। ଆମ ସହରରେ ଆମେ ନିଜ ଭାଷାରେ କଥା ହେବାକୁ ଗୌରବାନ୍ୱିତ ମନେ କରୁଁ, ନିଜ ଭାଷାରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍‌ସଆପ ଆଦି ସାମାଜିକ ମିଡିଆରେ ଲେଖିଶିଖୁଁ, ଆମର ଦୋକାନ ବଜାର, ପ୍ରଚାର ପ୍ରସାରରେ ଆମ ଭାଷାର ବହୁଳ ପ୍ରୟୋଗ କରୁଁ, ଏଇ ସବୁ ତ ଆମର ଭାଷା ପ୍ରତି ପ୍ରେମକୁ ଉଜାଗର କରିବ। ଆମେ ନିଜକୁ, ନିଜ ଭାଷାକୁ ଓ ନିଜର ମାତୃଭୂମିକୁ ସମ୍ମାନ ଦେଇ ପାରିଲେ ଆମ ଭାଷା, ଆମ ମାତୃଭୂମି ଅର୍ଥାତ୍ ଆମେ ନିଜେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ସମ୍ମାନ ଆହରଣ କରି ପାରିବା।

ନିଜ ଭାଷା ପ୍ରତି ଚେନାଏ ପ୍ରେମକୁ ନିଜ ଅନ୍ତରରେ ଯତ୍ନରେ ସାଇତି ରଖି, ଆସନ୍ତୁ ଆମେ ନେବା ଆମ ତରଫରୁ ଏକ ଛୋଟିଆ ପଦକ୍ଷେପ। ଇଣ୍ଟରନେଟରେ ଓଡ଼ିଆ ଲେଖିବା, ତା’ର ପ୍ରଚାର ପ୍ରସାର କରିବା କେତେ ସହଜ ତାହା ନିଜେ ଜାଣିବା ଓ ଆମ ଭାଇ ଭଉଣୀ, ବନ୍ଧୁ ବାନ୍ଧବୀମାନଙ୍କୁ ଜଣେଇବା। ନିଜ ଭାଷାରେ ଗୋଟିଏ ୱେବସାଇଟ ଗଢ଼ିବା, ଗୋଟିଏ ବ୍ଲଗ ଲେଖିବା, ସାମାଜିକ ମେଡ଼ିଆରେ ଗୋଟିଏ ପୋଷ୍ଟ ଛାପିବା, ଇବୁକ୍‌ଟିଏ ବନେଇବା, ୱିକିପିଡ଼ିଆରେ ଲେଖାଟିଏ ଲେଖିବା। ଯେହେତୁ ଆଜିର ଯୁଗରେ ଯୁବପିଢ଼ିମାନେ ଇଣ୍ଟରନେଟର ବହୁଳ ବ୍ୟବହାର କରନ୍ତି, ସେଥିଲାଗି ଆମେ ଅଧିକରୁ ଅଧିକ ବିଷୟବସ୍ତୁ ନିଜ ଭାଷାରେ ଇଣ୍ଟରନେଟରେ ଛାଡ଼ିବା।

ଅଧୁନା ଇଣ୍ଟରନେଟରେ ଉପଲବ୍ଧ ହାତ ଗଣତି କେତେକ ୱେବ ସାଇଟ ପରି ଓଡ଼ିଆଲାଙ୍ଗୁଏଜ୍ ଡଟ୍ କମ୍‌ର ଏହା ଏକ ଆନ୍ତରିକ ପ୍ରୟାସ, ଇଣ୍ଟରନେଟ ଓ ଇ-ଜଗତରେ ଓଡ଼ିଆ ଭାଷାର ପ୍ରୟୋଗକୁ ସହଜ, ସରଳ, ସର୍ବଜନ ସୁଲଭ ଓ ନିଃଶୁଳ୍କ କରିବା। ଏଥିପାଇଁ odialanguage.com ସାଇଟରେ ଓଡ଼ିଆରେ କାମ କରିବାପାଇଁ ଅନେକ ପ୍ରକାରର ଉପଯୋଗୀ ଉପକରଣ, ସୁନ୍ଦରିଆ ଫଣ୍ଟ ଓ ଆହୁରି ଅନେକ କିଛି ଆମ ପାଇଁ ମାଗଣାରେ ଉପଲବ୍ଧ ଅଛି। ଆସନ୍ତୁ ଆମେ ଏ ସବୁର ପ୍ରୟୋଗ କରିବା ଓ ଅନ୍ୟମାନଙ୍କୁ ଏହାର ସମ୍ବାଦ ଦେବା। ଯଦି ଆପଣ ଓଡ଼ିଆ ୱେବସାଇଟଟିଏ ତିଆରି କରିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ଏଇଠୁ ୱେବଫଣ୍ଟ ଓ ଅନ୍ୟାନ୍ୟ ସାହାଯ୍ୟ ମିଳି ପାରିବ।

ଆସନ୍ତୁ ଆଜି ଓ ଏହିକ୍ଷଣି ଗୋଟିଏ ଛୋଟ ପଦକ୍ଷେପ ନେବା, ଆମର ଭାଷା ପ୍ରେମର ପରାକାଷ୍ଠାରେ ଆମେ ନିଜର ପରିଚୟକୁ ଏକ ପତନୋନ୍ମୁଖୀ ପଙ୍କିଳ ଓ ସଂଶୟାବିଷ୍ଟ ଭବିଷ୍ୟତରୁ ରକ୍ଷାକରି ରଚନା କରିବା ଏକ ଉଜ୍ଜ୍ୱଳ ଓ ଗୌରବମୟ ଭବିଷ୍ୟତର।